ବାଳକେ ମୋର ବୋଲକର-୧୪
ପାଖୁଡ଼ା-୧୪
ବାଳକେ ମୋର ବୋଲକର
ଗୁରୁବାର
୦୩/୩/୨୦୨୨
ସାଧାରଣ ବ୍ୟକ୍ତିଟିଏ ତା ଜୀବନ କାଳ ଭିତରେ ଅନେକ ମିଛ କହେ । ସୁବିଧା ପାଇଲେ ଅନ୍ୟକୁ ଠକେ । କିନ୍ତୁ ସଦାବେଳେ ଆଶା କରେ ଯେ ତାକୁ କେହି ଠକନ୍ତୁ ନାହିଁ । ଠକ ଠକାମୀରେ ପଡ଼ିବା ନିଶ୍ଚିତ । ଏଣୁ ଆମେ ଯଦି ଠକାମୀରେ ପଡ଼ିବା ନାହିଁ ବୋଲି ଭାବୁଛେ ତେବେ ଆମେ ପ୍ରଥମେ କାହାକୁ କୌଣସି ପରିସ୍ଥିତିରେ ଠକିବା ନାହିଁ ବୋଲି ପ୍ରତିଜ୍ଞା କରିବା ଦରକାର । ପୁଣି ସାଧୁବେଶ ଧରି ଲୋକଙ୍କୁ ଠକିବା ସହଜ । ହେଲେ ସୁଧୁବେଶଧାରୀ ଠକ ସାବଧାନ ରହିବା ଦରକାର । କହିଁକି ଏ ସମ୍ପର୍କରେ ଚାଲନ୍ତୁ ଗପଟିଏ ଶୁଣିବା । ଗପଟି ଏହିପରି.......
ସାଧୁର ଅଭିନୟ
ଗୋଟିଏ ସହରରେ ଜଣେ ବେପାରୀ ଥିଲେ । ସେ ଘରୁ ଦୋକାନକୁ ଯିବା ବାଟରେ ଗୋଟିଏ ମନ୍ଦିର ପଡ଼ୁଥିଲା । ସେଠାରେ ଅଟକି ସେ ପ୍ରତ୍ୟହ ମନ୍ଦିରକୁ ଯାଉଥିଲେ, ଦେବ ଦର୍ଶନ କରି କପାଳରେ ଚନ୍ଦନ ତିଳକ ଲଗାଇ ଦୋକାନକୁ ଯାଉଥିଲେ । ତାଙ୍କ ମୁହଁରେ ସର୍ବଦା ଭଗବାନଙ୍କ ନାମ ରହୁଥିଲା । ଏଣେ ବେପାର ମଧ୍ୟ ବହୁତ ଭଲ ଚାଲୁଥିଲା । ସେ କହୁଥିଲେ ଏହା ତାଙ୍କ ଈଶ୍ୱର ଭକ୍ତିର ଫଳ ।
ଦିନେ ହଠାତ୍ ତାଙ୍କର ପରଲୋକ ହୋଇଗଲା । ଯମଦୂତମାନେ ତାଙ୍କ ଆତ୍ମାକୁ କିଛି କ୍ଷଣ ଲାଗି ସ୍ୱର୍ଗ ଦର୍ଶନ କରାଇ ନର୍କକୁ ଫେରାଇ ନେବାକୁ ବସିଲେ । ଏହା ଦେଖି ବେପାରୀଙ୍କ ଆତ୍ମା ଚିତ୍କାର କଲା-ଅନ୍ୟାୟ! ମୁଁ ଜୀବନ ଯାକ ଦେବ ଦର୍ଶନ କରିଛି, ମନ୍ଦିର ଯାଇଛି, ପ୍ରାର୍ଥନା କରିଛି । ପ୍ରଭୁଙ୍କ ନାମ ଜପିଛି । ମୋତେ ସ୍ୱର୍ଗରେ ରଖୁ ନାହଁ କାହିଁକି? ଯମଦୂତ କହିଲେ-ସେହି କାରଣରୁ ତ ତୁମର ସ୍ୱର୍ଗ ଦର୍ଶନ ସମ୍ଭବ ହେଲା । କିନ୍ତୁ ତୁମର ପାପର ବୋଝ ଏତେ ବେଶୀ ଯେ ତୁମେ ଏବେ ବହୁକାଳ ଧରି ନର୍କରେ ରହିବ । ବେପାରୀ କହିଲା-ମାନୁଛି ଯେ ମୁଁ ବେପାରରେ ଗରାଖଙ୍କୁ ଠକୁଥିଲି । କିନ୍ତୁ ବେପାରରେ ତାହା ନ ହେଲେ ନ ଚଳେ । ବେପାରରେ କିଏ ବା ଠକୁନି?
ଯମଦୂତ କହିଲେ-ତାହା ତ ସତ! କିନ୍ତୁ ସେତିକିରେ ତୁମର ସମସ୍ୟା ସରୁନାହିଁ । ତୁମର ସମସ୍ୟା ହେଲା ତୁମେ ପୁଣ୍ୟାତ୍ମାଙ୍କ ଭଳି ଅଭିନୟ କରି ଲୋକଙ୍କୁ ଠକୁଥିଲ । ଲୋକେ ଭାବୁଥିଲେ ଯେ ତୁମେ ସଚ୍ଚୋଟ । କିନ୍ତୁ ତୁମେ ତା’ର ସୁଯୋଗ ନେଇ ଠକୁଥିଲ । ସେହି ଦୃଷ୍ଟିରୁ ତୁମ ପାପର ବୋଝ ବହୁତ ବେଶୀ । ତେଣୁ ନର୍କକୁ ଯାଉଛ ।
Comments
Post a Comment