ବାଳକେ ମୋର ବୋଲକର-୪
ପାଖୁଡା-୪
ବାଳକେ ମୋର ବୋଲକର
ଶୁକ୍ରବାର
୧୧/୨/୨୦୨୨
ଗୀତାରେ କୁହାଯାଇଛି “କର୍ମଣ୍ୟେ ୱାଧିକାରସ୍ତେ ମା ଫଲେଷୁ କଦାଚନ ।” ଅର୍ଥାତ୍ ତୁମର କର୍ମରେ ଅଧିକାର ଅଛି କର୍ମଫଳରେ ନୁହେଁ। କାରଣ ଆମେ କର୍ମ ସିନା କରିବା କର୍ମର ଫଳ ଆମେ ତିଆରି କରିପାରିବା ନାହିଁ । ତାହା ପାଇବାକୁ ଆମକୁ ଆଉଜଣକ ଉପରେ ନିର୍ଭର କରିବାକୁ ପଡ଼ିବ । ଏଣୁ ଆମକୁ ଯେଉଁକାମ କରିବାକୁ ଦିଆ ଯାଉଛି ତାହାକୁ କେମିତି ସୁଚାରୂ ରୂପରେ ସମ୍ପାଦନ କରିବା ଆମେ ସେ ବିଷୟରେ ଚିନ୍ତା କରିବା କଥା, ସେହି କାର୍ଯ୍ୟରେ ମନୋନିବେଶ କରି ଏକାଗ୍ରଚିତ୍ତ ହୋଇ ତାହାକୁ ନିର୍ଭା କରିବା କଥା । କିନ୍ତୁ କାର୍ଯ୍ୟ କରିବା ପୂର୍ବରୁ ଆମେ ଯଦି କର୍ମଫଳ ପ୍ରତି ଆଶୟୀ ହୋଇ ପଡ଼ିବା ତେବେ କର୍ମଟି ଖଣ୍ଡିଆ ହୋଇ ରହିବ କିମ୍ବା କର୍ମ କରିବା ପ୍ରତି ଆମେ ବିମୁଖ ହୋଇ ପଡ଼ିବା । କର୍ମଟି ଯଦି କଷ୍ଟକର ହୋଇଥିବ ତେବେ ଆମର ଏ ବିଚୁକୁଟିଆ ମନ ତାହା ନ କରେଇ ଦେବା ପାଇ ଆମକୁ ଅନେକ ଯୁକ୍ତି ଦେଖେଇବ । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି.......
ଲକ୍ଷ୍ୟ ବଡ଼ ନା କାର୍ଯ୍ୟ
ଜଣେ ଯୁବକ ଶିଷ୍ୟ ହେବାର ଲକ୍ଷ୍ୟ ନେଇ ଜଣେ ସୁଫି ସନ୍ଥଙ୍କ ନିକଟରେ ପହଞ୍ଚିଲା । ସନ୍ଥଙ୍କୁ ଯାଥାମାନ୍ୟ ପ୍ରଣାମ କରି ପଚାରିଲା, ଆଜ୍ଞା ମୋତେ ଶିଷ୍ୟ ଭାବରେ ଗ୍ରହଣ କରିବେ କି? ସନ୍ଥ କହିଲେ କରିବି, କିନ୍ତୁ ତୁମ ପାଖରେ ଶ୍ରଦ୍ଧା ଅଛି ତ? ଯୁବକ କହିଲା ଆଜ୍ଞା ଅଛି । ସନ୍ଥ କହିଲେ ତେବେ ଗୋଟାଏ କଥା ମନେ ରଖ ମୁଁ ଯାହା କହିବି ତାହା କରିବ କୌଣସି ପ୍ରଶ୍ନ ପଚାରିବ ନାହିଁ । ପ୍ରଶ୍ନ ପଚାରିବ ତ କାମ ସରିଲା ।
ଏହା ପରେ ସନ୍ତ ଯୁବକଟିକୁ କୂଅ ପାଖକୁ ନେଇ କୋଟିଏ ବାଲଟି ଦେଖାଇ କହିଲେ ନିଅ ଏହାକୁ ଟାଣ । ବାଲଟି କୂଅ ପାଣିରେ ବୁଡ଼ି ରହିଥିଲା । ତହିଁରେ ଏକ ଦଉଡ଼ି ଲାଗିଥିଲା । ତାକୁ ଟାଣିବାରୁ ଦେଖାଗଲା ଯେ ବାଲଟିଟିର ତଳଟି ନାହିଁ । ତେଣୁ କୂଅରୁ ବୁନ୍ଦାଟିଏ ବି ପାଣି ଉଠୁ ନଥିଲା । ଯୁବକ ଏମିତି କିଛି ସମୟ ଟାଣିଲା ପରେ ଭାବିଲା ଏ ନିଶ୍ଚୟ ଜଣେ ଗୋଟେ ବଦ୍ଧ ପାଗଳ । ତେଣୁ ଆଉ ସମ୍ଭାଳି ନ ପାରି କହିଦେଲା, ଆଜ୍ଞା ସାରା ଜୀବନ ବିତିଗଲେ ମଧ୍ୟ ଏ କଣା ବାଲଟିରେ କ’ଣ ପାଣି ଉଠିବା ସମ୍ଭବ ହେବ?
ସନ୍ଥ କହିଲେ, ବେଶ କଥା ସରିଗଲା । ତୁ ପ୍ରଶ୍ନ ପଚାରିଦେଲୁ ଆମର ଗୁରୁ ଶିଷ୍ୟ ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ତୁଟିଗଲା । ତୁ ଏବେ ଯାଆ । କାରଣ ତୋ ପାଖରେ ଶ୍ରଦ୍ଧା ନାହିଁ । ଯେଉଁ ମାନଙ୍କ ପାଖରେ ଶ୍ରଦ୍ଧା ଥାଏ, ସେମାନେ ବିନା କୌଣସି ପ୍ରଶ୍ନରେ, କୌଣସି ଫଳ ପାଇବାର ଆଶ ନ ରଖି କେବଳ ପ୍ରଦତ୍ତ କାମ କରିଚାଲନ୍ତି । ଖାଲି ସେତିକି ନୁହେଁ ସେମାନେ ଆନନ୍ଦର ସହିତ କରନ୍ତି ଓ କ୍ଲାନ୍ତ ହୁଅନ୍ତି ନାହିଁ । କିନ୍ତୁ ତୋ ମନରେ ପ୍ରଶ୍ନ ଉଠିଲା । ତୁ ନିଜେ କୋଟିଏ ଲକ୍ଷ୍ୟ ସ୍ଥିର କରିନେଲୁ ଯେ ପାଣି ଉଠାଇବି । ତେଣୁ ତୋ ପାଇଁ ଲକ୍ଷ୍ୟ କାର୍ଯ୍ୟ ଠାରୁ ବଡ଼ ହୋଇ ଗଲା । କାର୍ଯ୍ୟ ପ୍ରତି ଶ୍ରଦ୍ଧା ତୁଟିଗଲା । ତୋତେ କହିଥିଲି କେବଳ ବାଲଟିକୁ ବୁଡ଼ାଇ ଟେକିବା ଲାଗି । ପାଣି ଉଠାଇବା ଲାଗି ତ କହି ନ ଥିଲି ।
ଏଣୁ କର୍ମ ଛୋଟିଆ ହେଉ ବା ବଡ଼ । ନିକୃଷ୍ଟ ହେଉ ବା ମହାନ ଆମକୁ କରିବାକୁ ଦିଆ ଯାଇଛି ମାନେ ଆମକୁ ତାହାକୁ ସୁଚାରୂ ରୂପେ ସଂପାଦନ କରିବାକୁ ହେବ । କାରଣ କାର୍ଯ୍ୟଟିକୁ କେତେ ସୁନ୍ଦର ଭାବରେ ଆମେ କରିଛେ ସେଥିରେ ହିଁ କାଯ୍ୟଟିର ମହାନତା ପ୍ରତିପାଦିତ ହୁଏ । ସେଥିରୁ ହିଁ କର୍ତ୍ତାର ବିଶେଷତା ଜଣାପଡ଼େ । ଏଣୁ ଆମକୁ ଦିଆଯାଇଥିବା କାର୍ଯ୍ୟରେ ଆମେ ମନ ଲଗେଇବା କଥା ନା କି ସେଥିରୁ ମିଳୁଥିବା ଫଳରେ ।
Comments
Post a Comment