ବାଳକେ ମୋର ବୋଲକର-୧

ପାଖୁଡା-୦୧

 ବାଳକେ ମୋର ବୋଲକର

ମଙ୍ଗଳବାର
୮/୨/୨୦୨୨
ମଣିଷ ନିଜ ଜୀବନରେ ବିଭିନ୍ନ ଚିନ୍ତା କାରଣରୁ ହିଁ କଷ୍ଟ ପାଏ । ‘ଘଟଣା’ ତା ବାଟରେ ଘଟି ଚାଲିଛି । ତା ସହ ସମ୍ପୃକ୍ତ ଜଣେ ବ୍ୟକ୍ତି ଉକ୍ତ ଘଟଣାକୁ ଯେଉଁ ଦୃଷ୍ଟି ଭଙ୍ଗିନେଇ ଦେଖେ ସେହି ଅନୁସାରେ ଭାବେ ଓ ତାକୁଇ ନେଇ ଦୁଃଖ ବା ସୁଖ ଅନୁଭବ କରେ । ଦୁଃଖ ବା ସୁଖ ଅନୁଭବ ଏକ ମାନସିକ ଅବସ୍ଥା ମାତ୍ର । ଜଣେ ସାଙ୍ଗ ଆମକୁ ଆଘାତ କଲେ ତାହା ଆମକୁ ବାଧେ ନାହିଁ, କିନ୍ତୁ ଜଣେ ଶତ୍ରୁ ସାମାନ୍ୟ କଥା ପଦେ କହିଲେ ଆମେ ସାଙ୍ଗେ ସାଙ୍ଗେ ପ୍ରତିକ୍ରିୟାଶୀଳ ହୋଇ ପଡ଼ୁ । ଏହାର କାରଣ ଘଟୁଥିବା ଘଟଣା ପ୍ରତି ଆମର ଦୃଷ୍ଟିଭଙ୍ଗି । ମଣିଷ କେବଳ ତା’ର ଦୃଷ୍ଟିଭଙ୍ଗିକୁ ସାମାନ୍ୟ ପରିବର୍ତ୍ତନ କରିଦେଲେ, ଚିନ୍ତା କରିବାର ତରିକା ସାମାନ୍ୟ ବଦଳାଇ ଦେଲେ କିପରି ଶାନ୍ତିରେ ରହିପାରେ, ଦୁଃଖମୁକ୍ତ ରହିପାରେ, ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି.......
ଦୃଷ୍ଟିଭଙ୍ଗି
ଜଣେ ସନ୍ୟାସୀ ତାଙ୍କର ଜଣେ ଶିଷ୍ୟ ସହ କୌଣସି କାର୍ଯ୍ୟରେ ଚାଲି ଚାଲି ଏକ ନିଛାଟିଆ ରାସ୍ତାରେ ଯାଉଥିଲେ । ହଠାତ୍ କାହୁଁ ଏକ ଦୁର୍ବୁତ୍ତ ଦୌଡ଼ି ଦୌଡ଼ି ଆସି କିଛି ବୁଝିବା ପୂର୍ବରୁ ଗୁରୁ ଶିଷ୍ୟ ଦୁଇ ଜଣଙ୍କୁ ହାତରେ ଧରିଥିବା ଠେଙ୍ଗାରେ ପାହାରେ ପାହାରେ ପକାଇ ଆଖି ପିଛୁଳାକେ କେଉଁ ଆଡ଼େ ଉଭାନ ହୋଇ ଗଲା । କିନ୍ତୁ ଗଲା ବେଳେ ତରବରରେ ତା’ ହାତରୁ ଠେଙ୍ଗାଟି ଖସି ତଳେ ପଡ଼ିଗଲା । ସାଧୁ ସେହି ଠେଙ୍ଗାଟିକୁ ତଳୁ ଉଠାଇ ଉକ୍ତ ଲୋକଟିକୁ ପଛରୁ ଡାକି କହିଲେ, “ହୋ ଭାଇ! ନେଇ ଯାଅ, ତୁମ ଠେଙ୍ଗାଟିକୁ ନେଇ ଯାଅ ।” କିନ୍ତୁ ଲୋକଟି କି ଆଉ ଆସେ । ସେ ଡରରେ ପଳେଇଗଲା । ସନ୍ୟାସୀଙ୍କ ଏ ବ୍ୟବହାରରେ ଶିଷ୍ୟ ଜଣକ ବିସ୍ମିତ ହୋଇ କହିଲେ, କି ଆଶ୍ଚର୍ଯ୍ୟ କଥା! ସେ ବ୍ୟକ୍ତି ଆମକୁ ଆଘାତ କରି ଚାଲିଗଲା, ଅଥଚ ଆପଣ ତାକୁ ତା’ର ଠେଙ୍ଗାଟି ନେଇ ଯିବାକୁ ଡାକୁଛନ୍ତି । ତା’ ପ୍ରତି ମୋ ମନରେ ଯେଉଁ କ୍ରୋଧ ଜାତ ହେଉଛି, ଯଦି ସେ ଫେରିଥାନ୍ତା, ତେବେ ଏହି ଠେଙ୍ଗାରେ ତାକୁ ଉତ୍ତମ ମଧ୍ୟମ କରି ଦୁଇ ପାହାର ଚଢ଼େଇ ଦେଇଥାଆନ୍ତି ।
ସନ୍ୟାସୀ କହିଲେ, ବାବା! ଆମେ ଯାଇଥିବା ବେଳେ ଯଦି ଗଛରୁ ଶାଖାଟିଏ ଭାଙ୍ଗି ଆମ ଉପରେ ପଡ଼ିଥାନ୍ତା ତେବେ ତୁମେ କ’ଣ କରିଥାଆନ୍ତ? ତୁମେ କିଛି କରି ନ ପାରି ଭାଗ୍ୟକୁ ଆଦରି ରହିଥାନ୍ତ । ଏଠି ମଧ୍ୟ ସେହି ସମାନ ନିୟମ ଲାଗୁ । ସେ ବ୍ୟକ୍ତି, ଯିଏ ଆମକୁ ଆଘାତ ଦେଲା, ସେ ଏକ ବିଚାରଶକ୍ତିଶୂନ୍ୟ ମଣିଷ । ତା’ର ଆମ ସହିତ କିଛି ଶତ୍ରୁତା ନାହିଁ । ଆମେ ପରସ୍ପର ଅପରିଚିତ । ସେ କେବଳ ଆମକୁ ଏକୁଟିଆ ଦେଖି ବା ଆମ ବେଶ ପୋଷାକ ଦେଖି ସେମିତି ଆଚରଣ ଦେଖାଇ ଚାଲିଗଲା । ସେ ହେଉଛି ବୋଧଶକ୍ତିଶୂନ୍ୟ ଏକ ଗଛ ଭଳି ଯାହାର ଶାଖା ଭାଙ୍ଗି ଆମ ଉପରେ ପଡ଼ିଲା ବୋଲି ଜାଣ । ତେଣୁ ଆଉ କିଛି ନ ଭାବି ଆଗକୁ ଚାଲ ।
ଏଣୁ ଭାଗବତ ବର୍ଣ୍ଣିତ
କର୍ମ ଯେ ସୁଖ ଦୁଃଖ ଦାତା । ସାରା ସଂସାରେ ବଳବନ୍ତା ।
ଚିରନ୍ତନ ସତ୍ୟଟିରେ କେବଳ କର୍ମ ସ୍ଥାନରେ “ଦୃଷ୍ଟିଭଙ୍ଗି” ଶବ୍ଦଟିକୁ ସ୍ଥାନାନ୍ତରିତ କରି ଲେଖିଦେଲେ ତାହା ଜୀବନର ଯେ ମନ୍ତ୍ର ପାଲଟି ଯିବ ଏଥିରେ ଦ୍ୱିମତ ହେବାର ନାହିଁ ।

Comments

Popular posts from this blog

ବାଳକେ ମୋର ବୋଲକର-୧୫

ବାଳକେ ମୋର ବୋଲକର-୧୩

ବାଳକେ ମୋର ବୋଲକର-୧୨