ବାଳକେ ମୋର ବୋଲକର-୧୩

 ପାଖୁଡ଼ା-୧୩

ବାଳକେ ମୋର ବୋଲକର

ବୁଧବାର

୦୨/୩/୨୦୨୨

ଜନ୍ମ ମରଣ ଚକ୍ରରେ ପଡ଼ିଛି ଜୀବ । ପୁନରପି ଜନମଂ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍ ।

ଜନ୍ମ ମରଣ ଚକ୍ରର ଅସରନ୍ତି ରାସ୍ତାରେ ଚାଲୁଛି ଜୀବ । ବାର ବାର ଜନ୍ମ ନେଉଛି ବାରବାର ମୃତ୍ୟୁ ଲଭୁଛି । ଯଦିଓ ଏ ଚକ୍ରରୁ ମୁକ୍ତି ପାଇବା ପାଇଁ ଭଗବାନ ମଧ୍ୟ ବାଟ ନିଦ୍ଦିଷ୍ଟ କରି ଦେଇଛନ୍ତି ତଥାପି ବାରମ୍ବାର ଜୀବ ତାକୁ ଭୁଲୁଛି । ପଥ ହୁଡ଼ୁଛି । ନିଜେ ନିଜ ପାଇଁ ବାଟ ତିଆରି କରିବାକୁ ବୃଥା ପ୍ରୟାସ କରୁଛି । ସେ ଭୁଲି ଯାଉଛି- “ଇଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡ଼ୋରୀ, ନିଜ ଭାଗ୍ୟ ଡ଼ୋରୀ ଭାଗ୍ୟ ହସ୍ତେ ଅଛି ଦିଅନ୍ତି ହେଳେ ପାଶୋରି ।” ଏ ସମ୍ପର୍କରେ ଚାଲନ୍ତୁ ଗପଟିଏ ଶୁଣିବା । ଗପଟି ଏହିପରି.......

ବିଡ଼ମ୍ବନା

ଆରବର ଜଣେ ରାଜା ଅତି ଦୁଷ୍ଟ ଥିଲେ । ଥରେ ସେ ନିଜ ପଡ଼ୋଶୀ ରାଜ୍ୟକୁ ଅଧିକାର କରିନେବା ଲାଗି ଉପାୟ ପାଞ୍ଚିଲେ ଏବଂ ସେଠାକାର ରାଜାଙ୍କୁ ଭୋଜନ ଲାଗି ଆମନ୍ତ୍ରଣ କଲେ । ଭୋଜନ ପରେ ବାହାନା କରି ତାଙ୍କୁ ଏକ ବିରାଟ କୋଠା ମଧ୍ୟକୁ ନେଇଗଲେ । ତାହା ପ୍ରକୃତରେ ଥିଲା ଏକ ଭୁଲ ଭୁଲେୟାଁ, ଯହିଁରେ ଥରେ ପଶିଗଲେ ବାଟ ବଣା ହୋଇ ତା’ ଭିତରେ ବନ୍ଦୀ ହୋଇ ରହିଯିବା ନିଶ୍ଚିତ । ଏମିତି ଏକ ଭୁଲ ଭୁଲେୟାଁରେ ପଡ଼ୋଶୀ ଦେଶର ରାଜାଙ୍କୁ ଛାଡ଼ି ସେ କୌଶଳ କ୍ରମେ ବାହାରି ଆସିଲେ । ପଡ଼ୋଶୀ ଦେଶର ରାଜା ତା’ ଭିତରେ ବନ୍ଦୀ ହୋଇ ରହି ଅନାହାରରେ ପ୍ରାଣ ହରାଇ ଅତି ଦୟନୀୟ ଭାବରେ ମୃତ୍ୟୁ ବରଣ କଲେ ।

ତା’ପରେ ଆରବର ରାଜା ପଡ଼ୋଶୀ ରାଜ୍ୟକୁ ଅଧିକାର କଲେ । କିନ୍ତୁ ରାଣୀ ଓ ଶିଶୁ ପୁତ୍ର ପଳାୟନ କରି କୌଣସି ମତେ ପ୍ରାଣ ବଞ୍ଚାଇଲେ । ୟା ଭିତରେ ଅନେକ ବର୍ଷ ବିତିଗଲା । ଦିନେ ଜଣେ ଯୁବକ ଆରବ ରାଜାଙ୍କ ପାଖରେ ପହଞ୍ଚିଲା । ନିଜର ଶୈାର୍ଯ୍ୟ ବୀର୍ଯ୍ୟ ଏବଂ ଆନୁଗତ୍ୟରେ ରାଜାଙ୍କୁ ଖୁସିକରି ତାଙ୍କର ପ୍ରିୟପାତ୍ର ହୋଇଗଲା । ଧିରେ ଧିରେ ରାଜା ଉକ୍ତ ଯୁବକଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କଲେ। ସେ ତାକୁ ତାଙ୍କର ମୂଖ୍ୟ ପରାମର୍ଶଦାତା ରୂପେ ନିଯୁକ୍ତି ଦେଲେ ।

ଦିନେ ରାଜା ଓ ଉକ୍ତ ଯୁବକ ଘୋଡ଼ାରେ ବସି ମରୁଭୁମି ଭିତରକୁ ବୁଲିବାକୁ ଗଲେ । କିଛି ବାଟ ଗଲା ପରେ ରାଜାଙ୍କ ମନକୁ ପାପ ଛୁଇଁଲା । ସେ କହିଲେ-ଆମେ ଫେରିବାକୁ ବାଟ ପାଇବାତ?

ଏବେ ଯୁବକ ହସିଲା ଓ କହିଲା-ଆପଣ ମୋ ପିତାଙ୍କୁ ଯେଉଁ କାରାଗୃହରେ ବନ୍ଦୀ କରି ମାରି ଦେଇଥିଲେ ତାହା ଥିଲା ଆପଣଙ୍କ ନିଆରି ଭୁଲ ଭୁଲେୟାଁ । କିନ୍ତୁ ଆଜି ଆମେ ଯେଉଁଠି ଅଛେ, ତାହା ଭଗବାନଙ୍କ ତିଆରି ଭୁଲ ଭୁଲେୟାଁ । ଏବେ ମୁଁ ଚାଲିଲି ।

ରାଜା କିଛି ବୁଝିବା ଆଗରୁ ଯୁବକ ଘୋଡ଼ା ଝପଟାଇ ସେଠାରୁ ନିଷ୍କ୍ରାନ୍ତ ହୋଇଗଲେ ।

ଏଣୁ ଆମେ ଅନ୍ୟର କ୍ଷତି କରିବା ପୂର୍ବରୁ ଆମ ଉପରେ ଜଣେ କିଏ ଅଛି ବୋଲି ଭାବିବା ଦରକାର ।

Comments

Popular posts from this blog

ବାଳକେ ମୋର ବୋଲକର-୧୫

ବାଳକେ ମୋର ବୋଲକର-୪

ବାଳକେ ମୋର ବୋଲକର-୧