ବାଳକେ ମୋର ବୋଲକର-୧୨

 ପାଖୁଡ଼ା-୧୨

ବାଳକେ ମୋର ବୋଲକର

ଶୁକ୍ରବାର

୨୫/୨/୨୦୨୨

ଶତ୍ରୁ କିଏ ମିତ୍ର କିଏ ତାହା ଆମ ଜନ୍ମରୁ ଲିପିବଦ୍ଧ ହୋଇ ନ ଥାଏ । ଭାଗବତ କୁହନ୍ତି-

କର୍ମ ଯେ ଶତ୍ରୁ ମିତ୍ର ହୋଇ । ଗୁରୁଙ୍କ ପ୍ରାୟ ଦୀକ୍ଷା ଦେଇ ।

ଆମ ପ୍ରତି କିଏ ଅନ୍ୟାୟ କଲେ ସେ ଆମର ଶତ୍ରୁ ବୋଲି ଆମ ମନ ଗ୍ରହଣ କରି ନିଏ । ପୁଣି ଆମେ କରୁଥିବା ଭୁଲ କାମକୁ ଯଦି କିଏ ବିରୋଧ କଲା ତାକୁ ମଧ୍ୟ ଆମେ ଶତ୍ରୁ ହିସାବରେ ଗ୍ରହଣ କରି ନେଉ । ଜୀବନ ସାରା ଏହି ପରି ଆମ ଜାଣତରେ ବା ଅଜାଣତରେ ଆମେ ଅନେକ ଶତ୍ରୁ ତିଆରି କରୁ । ଯେଉଁମାନଙ୍କର ସ୍ମୃତି ଆମକୁ କଷ୍ଟ ଦିଏ । ସେଥିରୁ ମୁକ୍ତି ପାଇଁ ଆମକୁ କ’ଣ କରିବାକୁ ହେବ ଚାଳନ୍ତୁ ନିମ୍ନ ଗପରୁ ତାହାର ସମାଧାନ ଖୋଜିବା । ଗପଟି ଏହିପରି.......

ପ୍ରାର୍ଥନା

ଜଣେ ତରୁଣ ସନ୍ୟାସୀ ଗୁରୁଙ୍କୁ ପଚାରିଲେ-ମୁଁ ଈଶ୍ୱରଙ୍କ ନିକଟରେ କ’ଣ ପ୍ରାର୍ଥନା କରିବା ଉଚିତ । ଗୁରୁ କହିଲେ – ତୁମେ ପ୍ରାର୍ଥନା କର ଯେ, ହେ ଈଶ୍ୱର! ମୋ ଶତ୍ରୁମାନଙ୍କୁ କ୍ଷମା କରିଦେବାର ଭାବ ମୋ ଠାରେ ଉଦୟ କର । ତରୁଣ ସନ୍ୟାସୀ ଏହା ଶୁଣି କହିଲେ-ମହାତ୍ମା, ମୋ ଶତ୍ରୁମାନଙ୍କ ଉପରେ ମୋ ମନରେ ଆକ୍ରୋଶ ବା ବିଦ୍ୱେଷ ଭାବ ନାହିଁ । ତେଣୁ ସେମାନଙ୍କୁ କ୍ଷମା କରିବାର ଭାବ ଉତ୍ପନ୍ନ ହେବା ସକାଶେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିବାର ଆବଶ୍ୟକତା ଅଛି କି? ଗୁରୁ କହିଲେ-ଯଦିଓ ତୁମେ କହୁଛ ଯେ ଶତ୍ରୁମାନଙ୍କ ବିରୋଧରେ ତୁମ ମନରେ ଆଦୌ ଆକ୍ରୋଶ ନାହିଁ କିନ୍ତୁ ଯେଉଁମାନେ ଶତ୍ରୁ ସେମାନେ ତୁମ ମନରେ ଏ ଯାବତ୍ ଚିହ୍ନିତ ହୋଇ ରହିଛନ୍ତି । ସେମାନଙ୍କୁ କ୍ଷମା କରିଦେବା ଅର୍ଥ ହେଲା ସେମାନଙ୍କ ଠାରେ ଲାଗିଥିବା ସେଇ ଚିହ୍ନକୁ ସଂପୂର୍ଣ୍ଣ ଭାବେ ଲିଭାଇଦେବା । ତୁମେ ସେଥିରେ ସଫଳ ହୋଇ ପାରିଛ କି? ଶତ୍ରୁମାନଙ୍କ ପରିଚୟକୁ ପୁରା ଭୁଲି ଯାଇଛ କି? ସତ କହିଲେ କ୍ଷମା ଦେଇ ପାରିବା ହେଉଛି ଏକ ମହାନ ଗୁଣ । ଶତ୍ରୁମାନଙ୍କୁ କ୍ଷମା କରିଦେବାର ଅର୍ଥ ତୁମ ମନରୁ ଶତ୍ରୁର ସତ୍ତା ହଜିଯିବା । ଏହା ହେଉଛି ଶତ୍ରୁ ବିନାଶର ସବୁଠାରୁ ଉତ୍ତମ ମାର୍ଗ । ତରୁଣ ସନ୍ୟାସୀ କହିଲେ-ଏବେ ଠାରୁ ସେ ଦିଗରେ ଚେଷ୍ଟା କରିବି ।

ଶତ୍ରୁ କିଏ ତାହା ଯଦି ଆମକୁ ଜଣା ଅଛି ତାହାହେଲେ ସେ ଆମ ପ୍ରତି କରିଥିବା ଅବିଚାର କଥା ଆମର ମନେ ଅଛି । ତାହାର ଅର୍ଥ ହେଲା ଅବଚେତନ ମନରେ ତାହା ପ୍ରତି ଆମର ଏକ ଅସୂୟାଭାବ ରହିଛି । ଏଣୁ ଶତ୍ରୁକୁ ଭୁଲିବା ଅର୍ଥ ଆମର କିଏ ଶତ୍ରୁ ତାହାକୁ ଭୁଲିଯିବା । ଏଣୁ ଏ ଦିଗରେ ଆମକୁ ଚେଷ୍ଟା କରିବାକୁ ହେବ ।

Comments

Popular posts from this blog

ବାଳକେ ମୋର ବୋଲକର-୧୫

ବାଳକେ ମୋର ବୋଲକର-୪

ବାଳକେ ମୋର ବୋଲକର-୧