ବାଳକେ ମୋର ବୋଲକର-୧୦
ପାଖୁଡ଼ା-୧୦
ବାଳକେ ମୋର ବୋଲକର
ଶୁକ୍ରବାର
୧୮/୨/୨୦୨୨
ମଣିଷ ଜନ୍ମ ନେଉ ନେଉ ଶରୀର ମଧ୍ୟରେ ବନ୍ଦୀ ହୋଇ ଉକ୍ତ ଶରୀରର ଦାସତ୍ୱ ସ୍ୱୀକାର କରିନେଇ ସେହି ଶରୀରର ସେବାକରିବାରେ ଲାଗି ପଡ଼େ । ତା ପାଇଁ ବିଭିନ୍ନ ଜିନିଷ, ବିଭିନ୍ନ ବେଶ, ବିଭିନ୍ନ ଖାଦ୍ୟ ସଂଗ୍ରହ କରୁ କରୁ ସେ ଏ ଶରୀରକୁ ନିଜେ ବୋଲି ମନେ କରିବାକୁ ଲାଗେ । ଟିକେ ବଡ଼ ହେଉ ହେଉ ନିଜକୁ ନିଜେ ଦାସତ୍ୱରେ ବାନ୍ଧି କାହାର ଅଫିସରେ ନିଜକୁ ଅଫିସର ବୋଲି ଭାବେ ସିନା ବାସ୍ତବରେ ସେହି ଅଫିସର ସେ ଅନୁଗତ ଚାକରଟିଏ ପାଲଟି ଯାଏ । ଯେ ନିଜକୁ ଯେଡ଼େ ବଡ଼ ପଦବୀରେ ଅଧିଷ୍ଟିତ କରିଛି ସେ ସେତେ ବଡ଼ ଦାସ । ତା ପରେ ନିଜକୁ ପରିବାର ନାମକ ବଡ଼ ଦାସତ୍ୱର ଶୃଙ୍ଖଳରେ ବନ୍ଧନ କରିବାକୁ ହାଇଁପାଇଁ ହୁଏ । ସେଉଁ ସ୍ତ୍ରୀକୁ ସେ ଦାସୀ ବୋଲି ଭାବି ଘରକୁ ଆଣେ କେତେବେଳେ ନିଜର ଅଜାଣତରେ ତାର ବଡ଼ ଦାସ ପାଲଟି ଜୀବନ ସାରା ବଚସ୍କର ହୋଇ ତାହାର ସେବା କରେ ସେ ଜାଣି ପାରେ ନାହିଁ । ତେବେ ଏହି ଦାସତ୍ୱରୁ ମୁକ୍ତି ମିଳିବ କେମିତି ? ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି.......
ମୁକ୍ତି
ଯେତେବେଳେ ମହାବୀର ଘର ଓ ପରିବାର ଛାଡ଼ି ଚାଲିଯିବାକୁ ବାହାରିଲେ ସେତିକି ବେଳେ ତାଙ୍କ ଭାଇ ତାଙ୍କୁ ବିସ୍ମୟ ସହକାରେ କହିଲେ-ଭାଇ ତୁମେ ବଡ଼ ନିର୍ବୋଧ । ତା ହୋଇ ନ ଥିଲେ ଏ ରାଜପଦ, ରାଜସିଂହାସନ ଓ ରାଜ୍ୟ ଛାଡ଼ି ତୁମେ ଚାଲି ଯାଉ ନ ଥାନ୍ତ ।
ସେତିକି ବେଳେ ମହାବୀର ତାଙ୍କ ଶରୀରରେ ଥିବା ଏକମାତ୍ର ବସ୍ତ୍ର କୌପିନଟିକୁ ଖୋଲିବାର ଉପକ୍ରମ କରୁଥିଲେ । ଭାଇଙ୍କ କଥା ଶୁଣି ସେ ହସିଦେଇ କହିଲେ-ମୁଁ ଓ ଏଇ କୌପିନ ପରସ୍ପରକୁ ବାନ୍ଧି ରଖିଛୁ । ସେ କେବଳ ମୋତେ ବାନ୍ଧି ନାହିଁ, ମୁଁ ବି ତା ସହିତ ବନ୍ଧା ହୋଇଛି । ଏବେ ମୁଁ ସମ୍ପୂର୍ଣ୍ଣ ମୁକ୍ତ । ଏହା କହି କୌପିନଟିକୁ ଖୋଲି ଫୋପାଡ଼ି ଦେଇ ସମ୍ପୂର୍ଣ୍ଣ ଉଲଗ୍ନ ମହାବୀର ରାଜଉଆସ ଛାଡ଼ି ଚାଲିଗଲେ ଏବଂ ଗଲାବେଳେ କହିଗଲେ ମୁଁ ଏବେ ସମ୍ପୂର୍ଣ୍ଣ ମୁକ୍ତ ।
ମହାବୀର ଗଲା ପରେ ତାଙ୍କ ଭାଇ ବୃଦ୍ଧ ମନ୍ତ୍ରୀଙ୍କୁ ପଚାରିଲେ-ମହାବୀର କ’ଣ ଠିକ୍ କଥା କହିଦେଇ ଗଲେ? ମୁଁ ପରା ଏ ରାଜ୍ୟର ରାଜା । ଏ ରାଜ୍ୟର ପ୍ରଭୁ । ମୁଁ କ’ଣ କାହାର ଦାସ? ଦାସ ନ ହେବା ଲାଗି ରାଜା ହେବା ଦରକାର, ନୁହେଁ କି?
ମନ୍ତ୍ରୀ ଥିଲେ ସତ୍ୟନିଷ୍ଠ । ସେ କହିଲେ-ନା ମହାରାଜ, ଗହୀରେଇ ଦେଖିଲେ ଆପଣ ପ୍ରଭୁ ନୁହଁନ୍ତି, ଆପଣ ବାସ୍ତବରେ ଏ ପ୍ରଭୁପଣର ଦାସ । ଆପଣ ରାଜକୀୟ ଅହଂକାରର ଦାସ । ଆପଣ ମୁକ୍ତ ନୁହନ୍ତି । ମହାବୀର କିନ୍ତୁ ସତରେ ମୁକ୍ତ । ମହାବୀରଙ୍କ ଏହି ଅନାସକ୍ତ ଭାବ ହେତୁ ସେ ଜିତେନ୍ଦ୍ରିୟ ନାମରେ ପରିଚିତ ହେଲେ ।
ସତରେ ମୋର ମୋର ହୋଇ ଆମେ ନିଜ ଅଧିକାରଭୁକ୍ତ ବସ୍ତୁ ସମୂହର ଦାସ ପାଲଟି ଯାଉଛେ । ତା’ର ଜଗୁଆଳ ପାଲଟି ଯାଉଛେ, ତାର ଚାକର ପାଲଟି ଯାଉଛେ । ଏଣୁ ଦାସତ୍ୱରୁ ମୁକ୍ତି ନିମନ୍ତେ ପ୍ରଯତ୍ନ କରିବା ଆବଶ୍ୟକ ।
Comments
Post a Comment