ବାଳକେ ମୋର ବୋଲକର-୨
ପାଖୁଡା-୨
ବାଳକେ ମୋର ବୋଲକର
ବୁଧବାର
୯/୨/୨୦୨୨
ମଣିଷ ତା ଦୈନନ୍ଦିନ ସାଂସାରିକ କାର୍ଯ୍ୟରେ ଏତେ ନିମଗ୍ନ ଯେ ଭଗବାନଙ୍କୁ ଡ଼ାକିବା ପାଇଁ ତା ପାଖରେ ସମୟ ନାହିଁ । କାହାକୁ ସତ୍ସଙ୍ଗ କରିବାକୁ ବା ଘରେ ଟିକେ ଭଗବାନଙ୍କ ନାମ ନେବାକୁ କହିଲେ ସେ ଉତ୍ତର ଦେଉଛି ଭାଇ ସେଥି ପାଇଁ ସମୟ କାହିଁ ? ଦୈନନ୍ଦିନ ଜୀବନରେ ଏତେ କାମ ଯେ ତାକୁ କରି କରି ମଣିଷଟିଏ ପେଶି ହୋଇ ଯାଉଛି । ତେବେ ଭଗବାନଙ୍କୁ ଡ଼ାକିବା ପାଇଁ ସ୍ୱତନ୍ତ୍ର ସମୟ ବାହାର କରିବା ବି ଦରକାର ନାହିଁ, ଭଗବତ ଆରାଧନାକୁ ଜଣେ ନିଜର ଦୈନନ୍ଦିନ ଜୀବନର ଏକ ଅଂଶ କରି ଦେଲେ କାମ ସରିଲା । ତେବେ ଏହା କ’ଣ ସମ୍ଭବ? ଚାଲ ସେ ସମ୍ପର୍କରେ ଗପଟିଏ ଶୁଣିବା । ଗପଟି ଏହିପରି ......
ସଂସାର ଓ ଈଶ୍ୱର ଧ୍ୟାନ
ଦିନେ ଜଣେ ଗୁରୁଙ୍କୁ ତାଙ୍କ ଶିଷ୍ୟ ପଚାରିଲେ, ବାବା ସଂସାର ଭିତରେ ମଜ୍ଜିରହି ଈଶ୍ୱରଙ୍କୁ ସର୍ବଦା ଧ୍ୟାନରେ ରଖିବା କ’ଣ ସମ୍ଭବ? ତୁମେ କହୁଥିଲ ଏ ଦୁଇଟି କଥା ଏକା ସାଙ୍ଗରେ କରି ହେବ । ତାହା କ’ଣ ଠିକ୍?
ଗୁରୁ କହିଲେ ତାହାର ଉତ୍ତର ପରେ ଦେବି । ଏବେ ଚାଲ ଜଣେ ଗୃହସ୍ଥ ମଧ୍ୟାହ୍ଣ ଭୋଜନ ପାଇଁ ତାଙ୍କ ଘରକୁ ଡ଼ାକିଛନ୍ତି । ସମୟ ହୋଇଗଲାଣି ।
ଦୁହେଁ ଯାଇ ଗୃହସ୍ଥଙ୍କ ଘରେ ପହଁଚିଲେ । ସେତେବେଳକୁ ଘରେ ତାଙ୍କ ବୋହୁ ଏକା ଥିଲେ । ବୋହୁଟି ରନ୍ଧନ କାର୍ଯ୍ୟରେ ବ୍ୟସ୍ତ ଥିଲେ । ରୋଷେଇ ଘର ତଳେ ନିଜ ଛୋଟ ପିଲାଟିକୁ ଖେଳିବାକୁ ଛାଡ଼ି ଦେଇ ସେ ନିଜ ରୋଷେଇରେ ନିମଗ୍ନ ଥିଲେ । ସେ ରୋଷେଇରେ ଏକାଗ୍ରଥିଲେ ସତ କିନ୍ତୁ ପିଲାଟି ଖେଳି ଖେଳି ଯେତେବେଳେ ରୋଷେଇ ଘରୁ ବାହାରକୁ ଚାଲି ଯାଉଥିଲା ସେତେବେଳେ ସେ ଦୈାଡ଼ିଆସି ତାକୁ ନେଇ ପୁଣି ରୋଷେଇ ଘରେ ତାଙ୍କ ପାଖରେ ତଳେ ବସାଇ ଦେଉଥିଲେ ।
ଭୋଜନ ଅତି ସ୍ୱାଦିଷ୍ଟ ଥିଲା । ଗୁରୁ ଶିଷ୍ୟ ଦୁହେଁ ପ୍ରସନ୍ନ ଚିତ୍ତରେ ଭୋଜନ ସମାପ୍ତ କରି ଗୃହସ୍ୱାମୀଙ୍କ ପରିବାରକୁ ଆଶୀର୍ବାଦ ପ୍ରଦାନ କରି ଆଶ୍ରମକୁ ଲେଉଟିଲେ । ବାଟରେ ଗୁରୁ ପଚାରିଲେ ତୁମ ପ୍ରଶ୍ନର ଉତ୍ତର ପାଇଲ ତ? ଶିଷ୍ୟ କିଛି ବୁଝି ପାରିଲେନି । ଗୁରୁ କହିଲେ ତୁମେ ଦେଖିଥିବ ସେ ମା’ଙ୍କୁ ଯିଏ ଆମ ପାଇଁ ଭୋଜନ ପ୍ରସ୍ତୁତ କରୁଥିଲେ । ସେ ରୋଷେଇରେ ମଜ୍ଜି ରହିଥିଲେ ସତ କିନ୍ତୁ ନିଜ ପୁଅର ସୁରକ୍ଷା ଚିନ୍ତା ସର୍ବଦା ତାଙ୍କ ଧ୍ୟାନରେ ଥିଲା । ତେଣୁ ସେ ତାକୁ ବାରମ୍ବାର ରୋଷେଇ ଗର ଭିତରକୁ ନେଇ ଯାଉଥିଲେ । ଏଣେ ରନ୍ଧନ ବି ଅତ୍ୟନ୍ତ ଚମତ୍କାର ଥିଲା ।
ଏ ଭଳି ଭାବଟିଏ ଆଣି ପାରିଲେ ଯାଇ ସଂସାର ଭିତରେ ମଜ୍ଜି ରହି ସୁଦ୍ଧା ଜଣେ ସର୍ବଦା ଈଶ୍ୱରଙ୍କୁ ଧ୍ୟାନରେ ରଖି ପାରିବ । ଈଶ୍ୱର ଆରାଧନା ଆଉ ବୋଝ ମନେ ହେବ ନାହିଁ ।
Comments
Post a Comment