ବାଲକେ ମୋର ବୋଲକର-୭
ବାଲକେ ମୋର ବୋଲକର
ମଙ୍ଗଳବାର
୧୫/୨/୨୦୨୨
“ଧନ ଅର୍ଜନେ ଧର୍ମ କରି । ଧର୍ମେ ପ୍ରାପତ ନରହରି ॥”
ଆଜି କାଲି ସମସ୍ତେ ଯେନ ତେନ ପ୍ରକାରେ ଧନ ଅର୍ଜନ କରିବାରେ ତତ୍ପର ଅଛନ୍ତି । ଲକ୍ଷପତି କୋଟିପତି ହେବା ପାଇଁ ଓ କୋଟିପତି ଅରବପତି ହେବା ପାଇଁ ଦିନ ରାତି ଏକ କରି ଦେଉଛନ୍ତି । ଏହି ଧନ ପାଇଁ ସବୁ ନାଟ । ମଣିଷ ଧନ ଅର୍ଜନ କରିବା ପାଇଁ ନରହତ୍ୟା, ନାରୀ ହତ୍ୟା, ଶିଶୁ ହତ୍ୟା ପରି ମହାପାପ କରିବାକୁ ମଧ୍ୟ ପଶ୍ଚାତ୍ପଦ ହେଉ ନାହିଁ । ଅସୂର୍ଯ୍ୟପଶ୍ୟା ନାରୀଟିଏ ତାର ଭୂଷଣ ଲଜ୍ଜ୍ୟାକୁ ପରିତ୍ୟାଗ କରି ଦିବାଲୋକରେ ବସ୍ତ୍ର ଭୂଷଣ ପରିତ୍ୟାଗ କରିବାକୁ ମଧ୍ୟ ପଛୋଉ ନାହିଁ । ସବୁ ଦିନ ଖବର କାଗଜରେ ଆୟବହିର୍ଭୁକ୍ତ ସମ୍ପତ୍ତି ଗଦା କରିବା ଅଭିଯୋଗରେ ଶହ ଶହ ଲୋକ ଜେଲ ଯାଉଥିଲେ ମଧ୍ୟ ମଣିଷ ମନରେ ଚେତା ପଶୁନି । ସେ ଜାଣି ପାରୁନି ଏ ଧନ କଣ ପାଇଁ ଅର୍ଜନ କରିବ । ଶ୍ରୀମଦ ଭାଗବତଙ୍କର ଉପରୋକ୍ତ ଅମୂଲ୍ୟ ବାକ୍ୟ ଧନର ବ୍ୟବହାରକୁ ନେଇ କୁହାଯାଇଛି । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା। ଗପଟି ଏହିପରି.......
ଧନ
ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି ଥିଲେ । ତାଙ୍କ ନାମ ଥିଲା ଧରମ ଦାସ । ଲୋକେ ତାଙ୍କୁ ଧନୀ ଧରମ ଦାସ ବୋଲି ସମ୍ବୋଧନ କରୁଥିଲେ। ସେ ସନ୍ଥ କବୀରଙ୍କର ଜଣେ ଭକ୍ତ ଥିଲେ । ତେଣୁ କବୀରଙ୍କ ନିକଟକୁ ବରାବର ଯିବା ଆସିବା କରୁଥିଲେ । କବୀର ଦାସ କିନ୍ତୁ ସର୍ବଦା ତାଙ୍କୁ ଧରମ ଦାସ ବୋଲି ସମ୍ବୋଧନ କରୁଥିଲେ ।
ଦିନେ କ’ଣ ହେଲା କେଜାଣି କବୀରଙ୍କ ସହ କଥାବାର୍ତ୍ତା ହୋଇ ଫେରିବା ବାଟରେ ତାଙ୍କର ଭାବାନ୍ତର ହେଲା । ତାଙ୍କ ମନରେ କେଉଁ ଏକ ଅଚିହ୍ନା ସୁମନର ସୁଗନ୍ଧ ଚହଟି ଗଲା । ନିଜ ଭିତରେ ଥିବା ଅପୂର୍ବ ସତ୍ତାକୁ ସେ ଆବିଷ୍କାର କଲେ । ବାହାର ଧନ ସମ୍ପଦ ତାଙ୍କୁ ତୁଚ୍ଛ ମନେ ହେଲା । ତେଣୁ ଧରମ ଦାସ ତାଙ୍କ ପାଖରେ ଯାହା ଧନ ସମ୍ପତ୍ତି ଥିଲା ସବୁ କିଛି ଦାନ କରିବାକୁ ଲାଗିଲେ । ଦିନ କେଇଟାରେ ସେ ନିସ୍ୱ ହୋଇଗଲେ । ଲୋକେ ଚମତ୍କୃତ ହେଲେ । ସେମାନେ କଥା ହେଲେ ଧନୀ ଧରମ ଦାସ ଗରିବ ହୋଇଗଲେ ।
ତା’ପରେ ଧରମ ଦାସ ଯେତେବେଳେ ଯାଇ କବୀର ଦାସଙ୍କ ପାଖରେ ପହଞ୍ଚିଲେ କବୀର ତାଙ୍କୁ ଦେଖି ଉଚ୍ଛ୍ୱସିତ କଣ୍ଠରେ ସମ୍ବୋଧନ କଲେ-ଧନୀ ଧରମ ଦାସ! ଆସ ଆସ । ଧରମ ଦାସ ଏହା ଶୁଣି ହସି ଦେଲେ । କବୀର ତାଙ୍କୁ ପାଖରେ ବସାଇ କହିଲେ ତୁମେ ଏବେ ପ୍ରକୃତରେ ଧନୀ ହୋଇଗଲ । ପ୍ରଥମ କଥା ତ ତୁମେ ନିଜ ଭିତରେ ଥିବା ଅପରିମେୟ ସମ୍ପଦର ସନ୍ଧାନ ପାଇଲ । ଦ୍ୱିତୀୟରେ ଯାହାକୁ ଲୋକେ ଧନ ବୋଲି କହି ଯାବୁଡ଼ି ଧରିଛନ୍ତି ତାହାକୁ ତୁମେ ପାଦରେ ଆଡ଼େଇ ଦେଇ ତାହା ତୁମ ଲାଗି ମୂଲ୍ୟହୀନ ବୋଲି ପ୍ରମାଣିତ କରିଦେଲ । ତୁମ ଠାରୁ ମୋ ଦୃଷ୍ଠିରେ ଆଉ ବଡ଼ ଧନୀ କେହି ନାହାନ୍ତି ।
ଏଣୁ ଆମେ ଅବାସ୍ତବ ଧନ ପଛରେ ନ ଦଉଡ଼ି ବାସ୍ତବ ଧନ ଆହରଣ କରିବାକୁ ଚେଷ୍ଟା କରିବା ଆବଶ୍ୟକ ।
Comments
Post a Comment