ବାଳକେ ମୋର ବୋଲକର-୧୧

 ପାଖୁଡ଼ା-୧୧

ବାଳକେ ମୋର ବୋଲକର

ଶନିବାର

୧୯/୨/୨୦୨୨

    ଆଜିକାଲି ସମାଜରେ ଠକ ସାଧୁ ହାଉଜାଉ । ସେମାନେ ହାତ ସଫେଇ ଦେଖାଇ, ମେଜିକ୍ ଦେଖାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇ ସେମାନଙ୍କୁ ଆର୍ଥୀକ, ମାନସିକ, ଧାର୍ମୀକ ଓ ବୌଦ୍ଧିକ ଦୃଷ୍ଟିରୁ ଲୁଟିବା ଦେଖାଯାଉଛି । ଠକାମିର ଶିକାର ଯେ କେବଳ ଅପାଠୁଆ ମୂର୍ଖ ଲୋକ ହେଉଛନ୍ତି ତାହା ନୁହେଁ । ଉଚ୍ଚ ଶିକ୍ଷିତ ତଥା କଥିତ ଚାଲାକ ଲୋକେ ଏମାନଙ୍କର କବ୍ଚାରେ ବେଶି ପଡ଼ୁଥିବା ଦେଖାଯାଉଛି । ଲୁଟା ଖାଇଥିବା ବ୍ୟକ୍ତିଟି ମୁହଁ ଲୁଚେଇ କାନ୍ଦେ ସିନା କାହାକୁ କିଛି କହିପାରେ ନାହିଁ । ସତରେ ତଥାକଥିତ ଆତ୍ମଘୋଷିତ ବାବାମାନେ ଦେଖାଉଥିବା ଏହି ଅଲୌକିକତା ସହ ଭଗବାନଙ୍କର କ’ଣ କିଛି ସମ୍ପର୍କ ରହିଛି? ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି.......

ଅଲୌକିକତା

    ଜଣେ ବୃଦ୍ଧ ସାଧୁ ନିଜ କୁଡ଼ିଆରେ ବସି ପ୍ରାର୍ଥନା କରୁଥିବା ବେଳେ ସେଠାରେ ପହଁଞ୍ଚିଲେ ଜଣେ ଟୋକା ସାଧୁ । ସେ ଦୀର୍ଘ ୧୦ବର୍ଷକାଳ ହିମାଳୟରେ ସାଧନା କରି ନୂଆ ନୂଆ ଫେରିଥିଲେ । ସେ ବୃଦ୍ଧ ସାଧୁଙ୍କୁ ଡ଼ାକି କହିଲେ ଆସ ଆଗରେ ବହି ଯାଉଥିବା ଏ ନଈ ଉପରେ ଚାଲି ଆର ପଟକୁ ଯିବା । ବୃଦ୍ଧ ସାଧୁ କହିଲେ, କାହିଁକି? ଟୋକା ସାଧୁ କହିଲେ, ଓହୋ ତୁମେ ପାରିବ ନାହିଁ ପରା! ହେଇ ଦେଖ ମୁଁ ପାଣି ଉପରେ ଚାଲି ପାରୁଛି । ଏହା କହି ସେ ନଈ ପାଣି ଉପରେ ଚାଲି ଚାଲି ଆର ପାରିକୁ ଯାଇ ପୁଣି ଫେରି ଆସିଲେ । ତାଙ୍କ ମୁହଁରେ ଲାଗି ରହିଥିଲା ଚେନାଏଁ ଗର୍ବିତ ହସ । ସେ ଫେରି ଆସି ବୃଦ୍ଧ ସାଧୁଙ୍କୁ କହିଲେ ଦେଖିଲତ ଦଶବର୍ଷକାଳ ହିମାଳୟରେ ରହି ମୁଁ ଏ ସାଧନା ଅକ୍ତିଆର କରିଛି । ବୃଦ୍ଧ ସାଧୁ କହିଲେ, ଦେଖିଲିଯେ ଏହା ଦେଖାଇବାର କାରଣ ବୁଝି ପାରିଲି ନାହିଁ । ପ୍ରଥମ କଥା ତ ଆମେ ଭୂମି ଉପରେ ଚାଲି ପାରୁଥିବା ବେଳେ ପାଣି ଉପରେ ଚାଲିବାର ଅର୍ଥ କ’ଣ? ପାଣିରେ ତ ଆମେ ପହଁରି ପାରିବା । ଟୋକା ସାଧୁ କହିଲେ ପାଣି ଉପରେ ଚାଲି ପାରିବାର ସାମଥ୍ୟ ହିଁ ବଡ଼ କଥା । ଏହାକୁ ହାସଲ କରିବା ନିମନ୍ତେ କରାଯାଇଥିବା ସାଧନା ହିଁ ବଡ଼ କଥା । ଏହା ହିଁ ଅଲୌକିକତା ।

    ବୃଦ୍ଧ ସାଧୁ କହିଲେ, ତୁମ ସାଧନାକୁ ନମସ୍କାର । ତେବେ ଏ ନଦୀକୁ ପାର ହେବା ପାଇଁ ଡଙ୍ଗାବାଲାକୁ ମାତ୍ର ଦୁଇ ଟଙ୍କା ଦେଇଥିଲେ ସେ ତ ନଦୀ ପାର କରିଦେଇଥାନ୍ତା । ତୁମର ଦଶ ବର୍ଷର ସାଧନାର ମୂଲ୍ୟ ଏଣୁ ମାତ୍ର ଦୁଇଟଙ୍କା । ଆଉ ରହିଲା ଅଲୌକିକତାର କଥା । ମୁଁ ଭାବେ ଆମକୁ ଈଶ୍ୱର ଭୂମି ଉପରେ ଚାଲିବାକୁ ଗଢ଼ିଛନ୍ତି । ଆମେ ସମ୍ପୂର୍ଣ୍ଣ ଠିକ୍ ଭାବେ ଚାଲିପାରିବାର ସାମର୍ଥ୍ୟ ହିଁ ଅଲୌକିକତା । ପ୍ରଥମ କଥା ତୁମେ ମାଟି ଉପରେ ଠିକ୍ ରୂପେ ଚାଲି ପାରିଲଣି ତ? ଦ୍ୱିତୀୟ କଥା ଈଶ୍ୱର ଯାହା ଚାହାନ୍ତି ନାହିଁ, ତାହା ଆମକୁ ଦେଇ ନ ଥାଆନ୍ତି । ତେଣୁ ପାଣି ଉପରେ ଚାଲିବା ହେଉଛି ଈଶ୍ୱର ବା ସୃଷ୍ଟିର ଇଚ୍ଛା ବିରୋଧରେ ଯିବା । ତାହା ଅଲୌକିକତା ନୁହେଁ ।

    ଏଣୁ ଆମେ କିଛି ଠକଙ୍କର ହାତ ସଫେଇ ବା ମେଜିକ୍ ଦେଖି ତାହାକୁ ଅଲୌକିକତା ବା ଆଧ୍ୟାତ୍ମିକତା ବୋଲି ଭାବି ତାଙ୍କ ପଛରେ ଦୌଡ଼ି ହତାଶ ହେବା ଉଚିତ ନୁହେଁ ।

Comments

Popular posts from this blog

ବାଳକେ ମୋର ବୋଲକର-୧୫

ବାଳକେ ମୋର ବୋଲକର-୪

ବାଳକେ ମୋର ବୋଲକର-୧