ବାଳକେ ମୋର ବୋଲକର-୬
ବାଳକେ ମୋର ବୋଲକର
ସୋମବାର
୧୪/୨/୨୦୨୨
“ବାସାଂସି ଜୀର୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣା- ନ୍ୟନ୍ୟାନି ସଂଯାତି ନବାନି ଦେହୀ ॥ - ୨/୨୨”
ଚିରାବସ୍ତ୍ରକୁ ପରିତ୍ୟାଗ କରି ନୂତନ ବସ୍ତ୍ର ମଣିଷ ଗ୍ରହଣ କରିବା ପରି ଶରୀର ପୁରୁଣା ଓ ନଷ୍ଟ ପ୍ରାୟ ସ୍ଥିତିକୁ ଆସିଗଲେ ଆତ୍ମା ତାକୁ ପରିତ୍ୟାଗ କରି ନୂତନ ଶରୀର ଗ୍ରହଣ କରେ । ଏହାରି ନାମ ମୃତ୍ୟୁ ଦିଆଯାଇଛି । ଏହାକୁ ଭୟ କରିବାର କାରଣ କିଛି ନାହିଁ କିମ୍ବା ଏହାକୁ ନେଇ ଦୁଃଖ କରିବାର କାରଣ କିଛି ନାହିଁ । ଏହା ହିଁ ଜୀବନର ଚରମ ସତ୍ୟ । ଏହାର ଅନୁଭୂତି ହିଁ ଅସଲ ଜ୍ଞାନ । ଏହି ତଥ୍ୟକୁ ଜାଣି , ହୃଦୟଙ୍ଗମ କରି ହଜମ କରିଥିବା ବ୍ୟକ୍ତି ହିଁ ବାସ୍ତବରେ ଜ୍ଞାନୀ । ତେବେ ଏହାକୁ କହିବା ଯେତିକି ସହଜ ତାକୁ ଅନୁଭବରେ ଆଣି ତଦନୁସାରେ ବ୍ୟବହାରରେ ଲଗେଇବା ତାହାଠାରୁ ବହୁଗୁଣରେ କଷ୍ଟ । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି.......
ଜ୍ଞାନର ସୂତ୍ର
ଜଣେ ଯୁବକ ସଦ୍ ଗୁରୁଙ୍କ ଅନ୍ୱେଷଣରେ ବାହାରିଲେ । ବହୁକଷ୍ଟରେ ଜଣେ ସନ୍ୟାସୀଙ୍କୁ ଭେଟି ଏ ସମ୍ପର୍କରେ ପଚାରନ୍ତେ ସେ କହିଲେ ତୁମେ ଯଦି ଅସଲ ଜ୍ଞାନ ଖୋଜୁଛ ଓ ସେହିଜ୍ଞାନ ନିମନ୍ତେ ଜଣେ ସଦ୍ ଗୁରୁଙ୍କ ଅନ୍ୱେଷଣ କରୁଛ ତେବେ ମୋ ଗୁରୁଙ୍କ ପାଖକୁ ଯାଅ । ଯୁବକ ତାଙ୍କ ପ୍ରଦତ୍ତ ଠିକଣାରେ ଯାଇ ପହଞ୍ଚିଲେ । ଦେଖିଲେ ସେ ଜଣେ ବୃଦ୍ଧ ବ୍ୟକ୍ତି ଓ ସେ ଗୋଟିଏ ମଶାଣିରେ ଶବ ପୋଡ଼ୁଥିଲେ । ବୃଦ୍ଧଙ୍କୁ ଯୁବକ ଜଣକ ତାଙ୍କର ଅଭିପ୍ରାୟ ଜଣାଇବା ପରେ ବୃଦ୍ଧ ଅନ୍ୟ କିଛି ନ କହି କେବଳ ଏତିକି କହିଲେ ଆସିଗଲ ଭଲ କଲ । ଏବେ ମଡ଼ାପେଡ଼ୋରେ ଲାଗିଯାଅ ।
ଯୁବକ ଏତାଦୃଶ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ଆସି ନ ଥିଲେ । କିନ୍ତୁ ଆଉ କିଛି କରିବାର ଉପାୟ ନ ଥିଲା । ସୁତରାଂ ମଡ଼ାପେଡ଼ୋ କାର୍ଯ୍ୟ ଆରମ୍ଭ କଲେ । ପ୍ରତିଦିନ ଶବ ସତ୍କାରରେ ସହାୟତା କରୁଥିବା ବେଳେ ହଠାତ୍ ନିଜ ଚେତନାରେ ଏକ ପରିବର୍ତ୍ତନ ଲକ୍ଷ୍ୟ କଲେ । ସେ ଏଣିକି ମୃତ୍ୟୁ ଦୁତଙ୍କୁ ଦେଖି ପାରୁଥିଲେ । ସେ ଦେଖୁଥିଲେ ଯେ ମୃତ୍ୟୁର ଦୂତ ପ୍ରତି ବ୍ୟକ୍ତିର କାନ୍ଧରେ ସବାର ହୋଇଛନ୍ତି । ଏହି ଚେତନା ଯୁବକ ଭିତରେ ଏକ ପରିବର୍ତ୍ତନ ଆଣିଲା । ସେ ଏଣିକି ମୃତ୍ୟୁର ଦୂତଙ୍କୁ ଜଣେ ବନ୍ଧୁ ଭାବରେ ଗ୍ରହଣ କରିବାକୁ ଲାଗିଲା । ମୃତ୍ୟୁ ନାମକ ଚିରନ୍ତନ ସତ୍ୟର ଉପଲବ୍ଧିରେ ହିଁ ତାର ପ୍ରଜ୍ଞା ଆଲୋକ ପ୍ରଜ୍ଜ୍ୱଳିତ ହେବାକୁ ଲାଗିଲା । ମୃତ୍ୟୁକୁ ଜୀବନର ଏକ ଅଂଶ ବୋଲି ହୃଦୟଙ୍ଗମ କରିବାରେ ହିଁ ଥିଲା ପ୍ରକୃତ ଜ୍ଞାନର ସୂତ୍ର ।
ଏଣୁ ଜଣେ ମଣିଷ ମୃତ୍ୟୁକୁ ଡରିବାର କିଛି ଆବଶ୍ୟକ ନାହିଁ ।
Comments
Post a Comment