ବାଳକେ ମୋର ବୋଲକର-୩
ପାଖୁଡା-୩
ବାଳକେ ମୋର ବୋଲକର
ଗୁରୁବାର
୧୦/୨/୨୦୨୨
ବର୍ତ୍ତମାନ ସଂସାରରେ ଲୋଭ, ମାୟା, ମୋହ ଓ ପରଶ୍ରୀକାତରତା ଏମିତି ବଢ଼ିଯାଇଛି ଯେ ମଣିଷ ପଣିଆ ତା ମଧ୍ୟରେ ନିଜର ସ୍ଥିତି ଜାହିର କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ସାମାନ୍ୟତମ ସୁଯୋଗ ମିଳୁନାହିଁ । ନିଜେ ବଡ଼ ହେବାର ଉଚ୍ଚାଭିଳାଷକୁ ଚରିତାର୍ଥ କରିବାକୁ ଯାଇ ସେ ଯେକୌଣସି ପାପ କାର୍ଯ୍ୟ କରିବାକୁ ପଶ୍ଚାଦ୍ ପଦ ହେଉ ନାହିଁ । ଜଣଙ୍କ ପିଠିରେ ଚଢ଼ି, ଜଣକ ପେଟକୁ ଲାତ ମାରି, ଜଣକର କୁଡ଼ିଆକୁ ଧୂଳିଶାତ୍ କରି ସେ ସେଠାରେ ଆଲିଶାନ ବଙ୍ଗଳା ଗଢ଼ିବାକୁ ଲାଗି ପଡ଼ୁଛି । ସେ ଜାଣି ପାରୁନି ଯାହା ତାକୁ ହୀରା ପରି ମୂଲ୍ୟବାନ ଲାଗୁଛି ତାହା ଅଙ୍ଗାରର ରୂପାନ୍ତର ମାତ୍ର । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି.......
ହୀରା
ପ୍ରଭାତ ସମୟ । ଜଣେ ସାଧୁ ଓ ତାଙ୍କ ଶିଷ୍ୟ ଗୋଟିଏ ଗଛ ମୂଳରେ ବସି ପ୍ରଭାତକୁ ଉପଭୋଗ କରୁଥାଆନ୍ତି । ଆଗରେ ଯାଇଥିବା ରାସ୍ତାରେ କ’ଣ ଗୋଟିଏ ପଡ଼ି ଚକ୍ ଚକ୍ କରୁଥାଏ । ଶିଷ୍ୟ ପାଖକୁ ଯାଇ ଦେଖିଲେ ଓ ଫେରି ଆସି କହିଲେ-ମହାଭାଗ, ଆଗରେ ପଡ଼ିଛି ଏକ ବହୁମୂଲ୍ୟବାନ ବଡ଼ ହୀରା । କେମିତି ଝଲମଲ କରୁଛି ଦେଖନ୍ତୁ । ସାଧୁ କହିଲେ-ମୋତେ ତ ସେମିତି କିଛି ଦିଶୁ ନାହିଁ । ଶିଷ୍ୟ ଅଧିକ କିଛି କହିବା ପୂର୍ବରୁ ସେଠାରେ ପହଞ୍ଚିଲେ ଘୋଡ଼ ସବାର ଦୁଇ ସୈନିକ । ସେହି ହୀରା ଖଣ୍ଡ ପାଖରେ ପହଞ୍ଚିବା କ୍ଷଣି ତାକୁ ଦେଖି ସେମାନଙ୍କର ଗପସପ ବନ୍ଦ ହୋଇ ଗଲା । ସେମାନେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ । ତା’ ପରେ ଦୁଇ ବନ୍ଧୁଙ୍କ ଭିତରେ ଆରମ୍ଭ ହୋଇଗଲା କଳହ । ଆଖି ପିଛୁଳାକେ ତାହା ରକ୍ତାକ୍ତ ଯୁଦ୍ଧରେ ପରିଣତ ହେଲା । ଉଭୟଙ୍କ ପାଖରେ ତରବାରି ଥିଲା । ଅଚିରେ ଦୁଇ ଜଣ ପରସ୍ପର ତରବାରି ଚୋଟରେ ମରି ଶୋଇଲେ । ହୀରାଟି ସେଇଠି ସେଇମିତି ପଡ଼ି ରହିଲା ।
ଘଟଣା ଦେଖି ସାଧୁ ଓ ତାଙ୍କର ଶିଷ୍ୟ ଦୁଇଜଣଯାକ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଇଥିଲେ । କିଛି ସମୟ ପରେ ନିରବତା ଭଙ୍ଗ କରି ଗୁରୁ ପଚାରିଲେ, ଏବେ ବି କ’ଣ ତୁମେ ସେଠାରେ ହୀରା ଦେଖି ପାରୁଛ?
ଶିଷ୍ୟ କହିଲେ-ତା, ମୁଁ ଏବେ ସେଠାରେ ଦେଖୁଛି କେବଳ ଲୋଭ, ବିଶ୍ୱାସଘାତକତା, ଈର୍ଷା, ହିଂସା ଓ ରକ୍ତପାତ । ସାଧୁ କହିଲେ ସତରେ ତୁମେ ଠିକ୍ କହିଛ ।
ଏଣୁ ଆମକୁ ଭଗବାନ ଯେତିକି ଦେଇଛନ୍ତି ଆମେ ସେତିକିରେ ସନ୍ତୁଷ୍ଟ ହେବା ଉଚିତ । ଆମେ ପରିଶ୍ରମ ଦ୍ୱାରା ଯେତିକି ରୋଜଗାର କରୁଛେ ସେତିକି ଆମର ପ୍ରାପ୍ୟ ବୋଲି ଭାବି ଆମେ ଖୁସି ହେବା ଦରକାର । ଅନ୍ୟର ଦ୍ରବ୍ୟ ପ୍ରତି ଆକର୍ଷିତ ନ ହେଲେ ଆମେ ସଦା ସୁଖି ରହି ପାରିବା । ଏଣୁ ଭାଗବତରେ କୁହାଯାଇଛି-ଅଳ୍ପେ ସନ୍ତୁଷ୍ଟ ଯେ ନୁହନ୍ତି । ଚୋରଙ୍କ ପ୍ରାୟ ଦଣ୍ଡ ପାନ୍ତି ।
Comments
Post a Comment